Unknown

 

 

 

 

 

 

 

 

 

ସମାଧିକ୍ଷେତ୍ର

ଚିନ୍ତାମଣି ମହାନ୍ତି

 

ଉତ୍କଳ-ଜାହ୍ନବୀ

ଚିତ୍ରୋତ୍ପଳା-ବନ୍ୟା,

ପୂତ କାଠଯୋଡ଼ୀ

ନଦୀକୂଳେ ଧନ୍ୟା ।

ହାଟକ ଝଟକ

କଟକ କଣ୍ଠରେ

ଚାରୁ ହୀରାହାର

ପ୍ରାୟ ଶୋଭା ଧରେ ।

ଭ୍ରମିଲି ତା ତୀରେ

ପବିତ୍ର ପ୍ରଭାତେ

ସେବନ ମାନସେ

ଶୁଦ୍ଧ ଶୀତବାତେ ।

ପୃଷ୍ଠଭାଗେ ରଖି

ହରହରି ଘାଟେ

ଗମିଲି ଉତ୍ତରେ

ଶିଳାବନ୍ଧବାଟେ ।

ଧାଡ଼ି ଧାଡ଼ି ହୋଇ

ପ୍ରସ୍ତରସୋପାନ,

ତଟିନୀ ପୂଳିନେ

ରହି ବିଦ୍ୟମାନ,

ମାରକତି ଶୈଳ

ସୁଷମା ପ୍ରକାଶେ,

ପାତାଳ ପ୍ରବେଶ

ପାବଚ୍ଛ ଅବା ସେ ।

କିମ୍ବା ନଦୀତୀରେ

ଶୁଖୁଅଛି ପରା

ଜଳଦେବୀ ନୀଳ

ଦୁକୂଳ ଘାଗରା ।

ତହିଁ କାଠଯୋଡ଼ୀ

ଅତୀବ ଗଭୀର,

ଚାହିଁଲେ ତଳକୁ

ଘୂରିଯାଏ ଶିର ।

ମହାଶାଖ ଶାଖୀ

ବନ୍ଧ ବେନି ପାଶେ

ଛନ୍ଦାଛନ୍ଦି ହୋଇ

ପ୍ରେମେ ବାହୁପାଶେ

ସୃଜିଛନ୍ତି ପଥେ

ସୁନ୍ଦର ତୋରଣା,

ଲତା ଗହଳେ କେ

ଟାଣିଛି ଓଢ଼ଣା ।

ପକ୍ୱଫଳେ ନମ୍ର

କାହିଁ ନିମ୍ବଡ଼ାଳ,

ପିନ୍ଧି ଗଳେ ସ୍ୱର୍ଣ୍ଣ

ଡେଉଁରିଆମାଳ ।

କାହିଁ ଅବା ଆଛୁ

ପୁଷ୍ପ-ଧନେ ଲଭି

ବାଣ୍ଟେ ଅକାତରେ

ସ୍ୱର୍ଗୀୟ ସୂରଭି ।

ରଜତ କୁସୁମେ

ଭୂଷିଣ କବରୀ

ଉଭା କିବା ଆହ୍ୱା

ଅମର ନାଗରୀ ।

ବହୁଫଣ-ଫଣୀ

ପ୍ରାୟ ନାଗଫେଣୀ

ବିସ୍ତାରିଛି ଫଣା

କାହିଁ ଶ୍ରେଣୀ ଶ୍ରେଣୀ ।

ବୃନ୍ତାସନେ ବସି

କାହିଁ ଅଙ୍କରାନ୍ତି

ଦେଖାଉଛି ପାନ୍ଥେ

ଚାରୁ ଚିତ୍ରକାନ୍ତି ।

ପକ୍ୱ ଫଳ ଧରି

ଭେଜି ବାଇଗଣ

ହୋଇଅଛି କାହିଁ

ଉଭା ପଣ ପଣ ।

ମର୍କତ ପାଦପେ

ସ୍ୱର୍ଣ୍ଣମୟ ଫଳ

ଫଳିଲା ପରାୟେ

ଦିଶେ ଅବିକଳ ।

ଭାରାକ୍ରାନ୍ତ ହୋଇ

ବହୁ ଅଳଙ୍କାରେ

କେତେ ଅଟ୍ଟାଳିକା

ଶୋଭେ ନଦୀଧାରେ ।

ସ୍ୱର୍ଣ୍ଣଦୀ ତୀରରେ

ଅପ୍‌ସରୀ ସମାନ

ଦିବ୍ୟ ଶୋଭାମୟୀ

ଦିଶନ୍ତି ସେମାନ ।

ଚଳେ କଲ୍ଲୋଳିମୀ

କୁଟିଳେ ସରଳେ,

କାହିଁ ଅଚଞ୍ଚଳେ

କାହିଁ ବା ଚଞ୍ଚଳେ ।

ସ୍ରୋତ ପ୍ରତିକୂଳେ

ବହି ସମୀରଣ

ନୀଳ ଜଳବେଣୀ

ସୃଜେ ଅଗଣନ

ଛାଇ ନଦୀବକ୍ଷେ

ବହୁ କାଳବ୍ୟାଳ

ଯାଆନ୍ତି କି ଭାସି

ହୋଇ ମାଳ ମାଳ ।

ଶାଣିତ ପାଣିତ

ଅସ୍ତ୍ରଫଳା ପରି

ମୀନାଳିଏ ମୁଦେ

ବୁଲନ୍ତି ସନ୍ତରି ।

କୋଟି ନେତ୍ରେ ଅବା

ତଟିନୀ ସୁନ୍ଦରୀ

ଦେଖ ନିଜ ଶୋଭା

ଦିବସ ଶର୍ବରୀ ।

ମୋତି-ଜ୍ୟୋତି-ଜିତ

ଶାଶ୍ୱତ ସୈକତ,

ବିକ୍ଷିପ୍ତ ତହିଁରେ

ଗୋଡ଼ି ଶତଶତ ।

ଶାଳଗ୍ରାମ ସମ

ସେ ଗୋଡ଼ି ସୁଷମା

ଏଣୁ କାଠଯୋଡ଼ୀ

ଗଣ୍ଡୁକୀ ଉପମା ।

ଉଡ଼ୁ ଉଡ଼ୁ କ୍ଷୁଦ୍ର

ପକ୍ଷୀ ରାଶି ରାଶି

ପଡ଼ୁଛନ୍ତି ଶୋଇ

ବାଲି ଖୋଲେ ଆସି ।

ଗଡ଼ୁଛନ୍ତି ଥୋକେ

ସୈକତ-ଶେଯରେ,

ଶିଶାରୁଅଛନ୍ତି

ଥୋକେ ତାରସ୍ୱରେ ।

ଗୁଡ଼ାବାଗୁଡ଼ି କେ

ଖେଳଇ ହରଷେ,

କେହି ବା ଉତ୍ତାନେ

ପଦେ ପଦେ ଘଷେ ।

ତଳେ ଗଡ଼ି ରଚି

ଗାୟନ ନର୍ତ୍ତନ

କରନ୍ତି କି ସର୍ବେ

ନାମ ସଙ୍କୀର୍ତ୍ତନ ।

କାହିଁ ବା ଗାଙ୍ଗୋଇ

ରାବି ଉଡ଼ିବୁଲେ,

କାହିଁ ମାଛରଙ୍କା

ବିଦୁଳେ ୧ ବିଦୁଳେ ।

ପଠା ତଣ୍ଡୀବୁଦା

ଢାଳୁଛି ଚାମର,

କାହା ଉଦ୍ଦେଶ୍ୟେ ତା

ତାହାକୁ ଗୋଚର ।

୧- ପାଣିବେତ ଗଛ ।

କଣ୍ଟାସନେ ବସି

କଣ୍ଟକୀ ସୁମନ ୨

ଦେଖାଏ ଜଗତେ

ଅଦ୍ଭୁତ ସାଧନ ।

ଏହିପରି କେତେ

ସୌନ୍ଦର୍ଯ୍ୟନିକର

ଦେଖି ଦେଖି କ୍ରମେ

ହେଲି ଅଗ୍ରସର ।

୨- ହରକଚ ଫୁଲ ।

କିଛି ଦୂରେ ଯାଇ

ଦେଖିଲି ଚକିତେ,

ସେ ଭୀଷଣ ଦୃଶ୍ୟ

ବର୍ଣ୍ଣି ନୋହେ ଗୀତେ ।

କୋମଳ ବାଲୁକା

ଉପରେ କଠୋର

ଦୃଶ୍ୟ ଦେଖି ଧୃତି

ବୁଡ଼ିଗଲା ମୋର ।

ବୁଡ଼ିଯାଏ ଯଥା

କାଠଯୋଡ଼ୀ ନୀରେ

ବନ୍ୟାକାଳେ ତରୀ

ଭୀମ ଭଉଁରୀରେ ।

ଟାଙ୍କୁରି ଉଠିଲା

ଖରେ ରୋମାବଳୀ

ପ୍ରାବୃଟ-ବାନ୍ଧବ

ନୀପ ପୁଷ୍ପଁ ବଳି ।

ବିକଟ ବିରାଟ

ନିର୍ଜନ ଶ୍ମଶାନ

ବାଲୁକାପୁଳିନେ

ଅଛି ବିଦ୍ୟମାନ ।

ମହାରୁଦ୍ରଙ୍କର

ଯେଣୁ ସେ ନିଳୟ,

ଧରିଅଛି ତେଣୁ

ଦୃଶ୍ୟ ରୁଦ୍ରମୟ ।

ନରାସ୍ଥିକଙ୍କାଳ

କପାଳମାଳରେ

ବିମଣ୍ଡି ଦର୍ଶନେ

ଧୃତି ହରେ ଖରେ ।

ବିଭୀଷଣ ସ୍ଥଳୀ

ବିଦିତ ସର୍ବତ୍ର,

ଭୟ ତାକୁ ଭୟେ

ଯୋଡ଼େ କରପତ୍ର ।

ସ୍ମୃତିସ୍ତମ୍ଭ ସ୍ମୃତି-

ମନ୍ଦିର ଅନେକ

ଅତିକ୍ରମ ଗତି-

ପଥେ ଏକ ଏକ

ହେଇ ଯାଇ ଶେଷ

ସ୍ମୃତିସ୍ତମ୍ଭ ପାଶେ,

ବନ୍ଦୀ ନେତ୍ରମନ

ତା ସୁଷମା-ପାଶେ ।

ସେ ସ୍ଥାନ ପରଶେ

ତୁଟିଲା ସର୍ବଥା

ତୁଚ୍ଛ ଭୟ ମୋହ

ତୁଚ୍ଛ ପାର୍ଥିବତା ।

ପାହିଗଲା ଖରେ

ଅଜ୍ଞାନ ତାମସା,

ଉଠିଲାକ ବାଜି

ପ୍ରାଣେ ଜ୍ଞାନବଂଶୀ ।

ମଣିଲି ମୋହର

ଏ ସାତ୍ତ୍ୱିକଭାବ

ନିଶ୍ଚେ ମହାଜନ-

ପୀଠର ପ୍ରଭାବ ।

ଏହି ଭାବି ଦେଇ

ସ୍ମୃତି ସ୍ତମ୍ଭେ ଚାହିଁ,

ନ ପାରିଲି ବଳେ

ଦୃଷ୍ଟିକି ଫେରାଇ ।

ମର୍ମର ଫଳକେ

କଲି ଅବଲୋକ

ଖୋଦିତ ତହିଁରେ

ଏ ସୁବର୍ଣ୍ଣଶ୍ଳୋକ-

‘‘ବଡ଼ କ୍ରୂର କାଳ

ହାବୋଡ଼ିଯିବଟି

ବଡ଼ ଅବିଶ୍ୱାସୀ !

ଆଚମ୍ବିତେ ଆସି,

ଦୂରବର୍ତ୍ତୀ ଜାଣି

କାଳକୁ ଯେ ହସେ,

ହସି ତା ପଛେ

ଆସି ଲୁଚି ବସେ ।’’

‘‘ସଂସାରେ ଥାଇ ମୁଁ

ସଦା ଉଦାସୀନ,

ଉଦାସୀନ ପ୍ରାୟେ

କଟାଇଲି ଦିନ,

ସଂସାରୀ ସଙ୍ଗତେ

ସଙ୍ଗୀ ହେବାପାଇଁ

କେବେହେଁ ମୋହର

ମନ ବଳେ ନାହିଁ,

ହସି ଖେଳି ସେହୁ

ଗମନ୍ତି ସମୟ,

ଜୀବନ ମଣନ୍ତି

ମହୋତ୍ସବମୟ,

ଛାର ଭାଗ୍ୟ ମୋର

ପିହତ ପାଷାଣେ,

ମୋ ଜୀବନ ଗଢ଼ା

ଅନ୍ୟ ଉପାଦାନେ,

ଚିର ହାହାମୟ

ଏ ଛାର ଜୀବନ,

ଜୀବନ ନୁହଇ,

ଜୀବନ୍ତ ମରଣ !

ଚିରଦିନ ଦୁଃଖ-

ପ୍ରହାରେ ଜର୍ଜର,

ପଟ୍ଟଶିଷ୍ୟ ମୁହିଁ

ଦୁଃଖ-ଗୁରୁଙ୍କର,

ଦୁଃଖଦତ୍ତଜ୍ଞାନ-

ଚକ୍ଷୁରେ ଜଗତ

ଦେଖିବାରେ ମୁହିଁ

ଅଭ୍ୟସ୍ତ ସତତ

ସୁଖ ବୋଲି ଯାକୁ

ବୋଲଇ ସଂସାର,

କରୁଥାଏଁ ତାକୁ

ଦୂରୁ ମୁଁ ଜୁହାର,

ସୁଖରୂପେ ଯାହା

ଜନନେତ୍ରେ ଦିଶେ,

ହାତେ ଆସେ, ହାତୁଁ

ପଡ଼ିବାପାଇଁ ସେ,

ବସ୍ତୁ ନୁହଇ ସେ

ଅଟଇଟି ଧୁମ,

ଅନ୍ୟ ନାମ ତାର

ଆକାଶକୁସୂମ ।’’

ଏହି ଶୋକ-ଶ୍ଳୋକ

ଅକ୍ଷରେ ଅକ୍ଷରେ

ଭେଦିଗଲା ମୋର

ଅନ୍ତରେ ଅନ୍ତରେ ।

ପଢ଼ିଲା ସ୍ୱାକ୍ଷର

ଶେଷେ ରାଧାନାଥ,

ଅସମ୍ଭାଳେ ନେତ୍ରୁ

ହେଲା ଅଶ୍ରୁପାତ ।

ବୁଝିଲି ଏବେ ଏ

ଚଟୁଳ-ସମାଧି

କବିବରଙ୍କର

ସାରସ୍ୱତ ଗାଦି ।

କବିଯୋଗ୍ୟ ଏହି

ନିକାଞ୍ଚନ ସ୍ଥାନ,

ବାଛି ନେଇଛନ୍ତି

କବି ଜ୍ଞାନବାନ,

ଅମରଙ୍କ ହିତେ

ଅମର ସଙ୍ଗୀତ

ବିରଚିବେ ଏଥି

ହୋଇ ପୁଲକିତ ।

ମର୍ତ୍ତ୍ୟବାସୀ କର୍ଣ୍ଣେ

ନ ଶୁଭିବ ତାହା,

ସେ କାବ୍ୟ, ବଜାରେ

ନ ମିଳିବ ଆହା ।

ସଂସାର ଗୃହକୁ

ହୋଇଣ ଅନ୍ତର

ନିବସନ୍ତି ଏଥେ

ମଣି ଶାନ୍ତିଘର ।

ସାମ୍ୟ ମୈତ୍ରୀ ପ୍ରୀତି

ସମନ୍ୱୟ ସ୍ଥଳ,

ନମେ ଏହା ପଦେ

ମର୍ତ୍ତ୍ୟ କୋଳାହଳ ।

ପ୍ରଦାନେ ଏ ସ୍ଥାନ

ମହାତତ୍ତ୍ୱ ଦୀକ୍ଷା,

ଜନ୍ମ ମୃତ୍ୟୁ ଗୂଢ଼

ଉପଦେଶ ଶିକ୍ଷା ।

ଏହି ସ୍ଥାନେ ନର

କରେ ଆସି ସାଙ୍ଗ

ବାରମ୍ବାର ନିଜ

ଭବଲୀଳା-ଯାଗ ।

ଏଠାରୁ ଉତ୍ପନ୍ନ

ଶେଷେ ଏଥି ଲୀନ,

କୁଣିଆ କେବଳ

ଭବେ ଦୁଇ ଦିନ ।

ନାହିଁ ଏ ସ୍ଥାନରେ

ଜରା ବ୍ୟାଧି ଖେଦ,

ନାହିଁ ଦୀନ ଧନୀ

ଅଜ୍ଞ ବିଜ୍ଞ ଭେଦ ।

ଅଣଉପାଧିଆ

ଉପାଧିଆ ବେନି

ଏହି ସାମ୍ୟ ସ୍ଥଳେ

ଭୁକ୍ତ ଏକ ଶ୍ରେଣୀ ।

ସାଆନ୍ତ ସେବକ

ଉଭେ ଏକାସନେ

ବସନ୍ତି ଏ ସ୍ଥାନେ

ନିର୍ବିକାର ମନେ ।

ମର୍ତ୍ତ୍ୟକଳୁଷିତ

ଜୀବାତ୍ମା ଏ ତୀର୍ଥେ

ପରଶି ପବିତ୍ର

ହୋଇ ହୃଷ୍ଟଚିତ୍ତେ

ଗମେ ପୁଣ୍ୟମୟ

ସତ୍ୟ-ସୁଧାବାସେ

କୃତକର୍ମ ଫଳ

ଭୁଞ୍ଜିବା ସକାଶେ ।

ନିବସନ୍ତି ଏଥି

ଯେଣୁ କବିବର,

ତେଣୁ ଏ ନିସର୍ଗ

ସଙ୍ଗୀତେ ମୁଖର ।

ଉପକଣ୍ଠେ ଗାଏ

କାଠଯୋଡ଼ି ନଦୀ,

ଗାଏ ଚିତ୍ରୋତ୍ପଳା

ଉପବିଷ୍ଣୁପଦୀ ।

କି ଅବୋଧ୍ୟ ଗୀତ

ସଦା ଗାଇ ଗାଇ

ଯାମ୍ୟ ଦିଗେ ଖରେ

ବହେ କୁଆଖାଇ ।

ବସି ଚକ୍ରବାକ

କୁଶାବର ୧ ପରେ

 

୧- କବିବରଙ୍କର ସମାଧି ନିକଟସ୍ଥ ବଟବୃକ୍ଷ । ଏହା କୁଶାନାମକ ଜନୈକ ଲୋକଦ୍ୱାରା ରୋସିତ ହୋଇଥିବାରୁ ଏହାର ନାମ କୁଶାବର ହୋଇଅଛି ।

 

ଗାଏ ଗତ ସ୍ମୃତି

ସକରୁଣ ସ୍ୱରେ ।

ବିପରୀତ ଦିଗୁଁ

ତାର ପ୍ରିୟଆାଳୀ

ଶୋକାବାନେ ଧରେ

ସେ ଗୀତର ପାଳି ।

ଆତୃପ୍ୟ ୨ ନିକୁଞ୍ଜେ

କଜ୍ଜ୍ୱଳପତତ୍ରୀ ।

ଝଙ୍କାରେ ସଘନେ

କଣ୍ଠ-ବୀଣାତନ୍ତ୍ରୀ

ତୁହି ରେ ଶ୍ମଶାନ

ବାହ୍ୟେ ଭୟଙ୍କର,

ମାତ୍ର ଦିବ୍ୟ ଶୋଭା-

ପୂର୍ଣ୍ଣ ତୋ ଅନ୍ତର ।

ସେହି ମହାଶୋଭା

ଚର୍ମନେତ୍ରାତୀତ,

କବିନେତ୍ର ତହିଁ

ହୋଇ ନିପତିତ

ବନ୍ଦୀ ହୋଇ ଆହା

ରହିଲା ସେଠାବେ,

ସୌନ୍ଦର୍ଯ୍ୟ-ପିପାସୁ

ଯେଣୁ ସେ ସ୍ୱଭାବ ।

କହରେ ଶ୍ମଶାନ

ମୋହୋ ସନ୍ନିଧାନେ,

ଅଛନ୍ତି ସେ କବି

କେଉଁ ଗୁପ୍ତସ୍ଥାନେ ।

ଅଛି କାବ୍ୟମାଳା,

କାହିଁ ଗଲେ କବି

ବିଦ୍ୟମାନ ପ୍ରଭା,

ଅସ୍ତ ଆହା ରବି !

ରହିଅଛି ତାଙ୍କ

ସରଣୀୟ ସ୍ମୃତି,

ନାହିଁ ଆଉ ଆହା

ଦିବ୍ୟ ସୌମ୍ୟମୂର୍ତ୍ତି ।

ଦୁର୍ଲଭ ଜୀବନ

ତେଜିଛି ଅବନୀ,

ରହିଛି ପବିତ୍ର

ଆଦର୍ଶ ଜୀବନୀ ।

ଆହା ରାଧାନାଥ

ସୂକବି-ସମ୍ରାଟ,

ବୀଣାପାଣି ଦେବୀ

ପ୍ରିୟତମ ଚାଟ ।

ସାହିତ୍ୟ-ମନ୍ଦିର-

ପ୍ରବୀଣ ବିନ୍ଧାଣି

ରଖିଥିଲ ତୁମ୍ଭେ

ଜନ୍ମଭୂମି ଆଣି ।*

ତୁମ୍ଭ ଅଭାବେ ସେ

ହୃଦେ ତାଡ଼ି ହାତ

ବିଳପୁଛି କହି

ହା ହା ରାଧାନାଥ ।* ଟେକ

ଥିଲ ତୁମ୍ଭେ ତାର

ଯୋଗ୍ୟତମ ପୁଅ

ଦେଉଥିଲ ପୋଛି

ତା ନୟନୁ ଲୁହ ।

କରୁଥିଲି ପୁଣି

ଚିକିତ୍ସାଶୁଶ୍ରୂଷା,

ଶମୁଥିଲ ତାର

ସୂଅଭୀଷ୍ଟ ତୃଷ୍ଣା ।

ଅର୍ପିଲ ଯେ ଶୋକ

ତାକୁ କବିନାହା,

ସେ କ୍ଷତ ତାହାର

ନ ଶୁଖିବ ଆହା !

ତୁମ୍ଭ ବିଚ୍ଛେଦରେ

ଉତ୍କଳ-ଭାରତୀ

ହୋଇଛନ୍ତି ଶୋକେ

ଉଦାସୀନ ଅତି ।

ଭଞ୍ଜ-କରଚ୍ୟୁତ

ସାରସ୍ୱତ ବୀଣା

ଅର୍ପିଥିଲେ ତୁମ୍ଭ

କରେ ହଂସାସୀନା ।

ନବ ତାର ଖଞ୍ଜି

ତୁମ୍ଭେ ସେ ବୀଣାରେ

ବାଉଥିଲ ନିତ୍ୟ

ନୂତନ ପ୍ରକାରେ ।

ଶୁଣି ସେ ନବୀନ

ସ୍ୱର ନବତାନ

ଘୁଞ୍ଚି ଯାଉଥିଲା

ଉତ୍କଳୁ ଅଜ୍ଞାନ ।

ସେ ବୀଣାକୁ ଆହା

ତୁମ୍ଭ ଅଭାବରେ

ଧରିଛନ୍ତି ଦେବୀ

ଏବେ ନିଜ କରେ ।

ତୁମ୍ଭ ତିରୋଧାନେ

କବ୍ୟାଶ୍ରମ ଯତି !

ହୋଇଛି ସଂରୁଦ୍ଧ

ସାହିତ୍ୟ ଉନ୍ନତି ।

ହେଲା ଦିନୁ ତୁମ୍ଭେ

ସଂସାରୁ, ଅନ୍ତରୁ,

ନିସ୍ତରଙ୍ଗ ଆହା

ସାହିତ୍ୟ-ସାଗର

ଦେବଭୂମି ଏହି

ଉତ୍କଳ ଭୁବନ,

ଚିର ସାରସ୍ୱତ

କେଳି ଉପବନ ।

ଫୁଟି ରହିଅଛି

ସେ ବନେ ସୁମନ,

କିଏ ଆଉ ତାହା

କରିବ ଚୟନ ।

ଭୁଲି ରୋଗାଶୋକ

ସଦା ହାସ୍ୟମୁଖେ,

ବୀଣାପାଣି ପାଦ

ପୂଜୁଥିଲ ସୁଖେ ।

ରୋଗ-ଭୋଗ ପ୍ରାୟ

ବାଣୀ ଆରାଧନା

ଥିଲା ତବ ପ୍ରାଣେ

ମହତୀ ସାଧନା

ଶତ ଧନ୍ୟ ତବ

ସଂଯତ ସ୍ୱଭାବ,

ମଣୁଥିଲ ନାହିଁ

ଅଭାବେ ଅଭାବ ।

ଯା ଲାଗି ଉନ୍ମୁକ୍ତ

ଭାରତୀ-ଭଣ୍ଡାର,

କି ଅଭାବ ଭଲା

ଜୀବନେ ତାହାର ।

ଏହା ବୁଝି ନିଶ୍ଚେ

କରୁଥିଲ କାମ,

ଧନ୍ୟ ପୁଣ୍ୟଶ୍ଳୋକ

ଧନ୍ୟ ତବ ନାମ ।

ଥିଲ ଏକ, ଏବେ

ହେବ ଯେ ଅନେକ,

ଭାଗ ହେବ ତବ

ସୁବୁଦ୍ଧି ବିବେକ ।

ବହୁ ହୃଦେ ବିମ୍ବି

ତବ ସୁପ୍ରତିଭା

ଦିନେ ଏ ଉତ୍କଳେ

ଖେଳାଇବ ବିଭା ।

ସ୍ୱର୍ଣ୍ଣ-ପ୍ରତିମୂର୍ତ୍ତି

ସେ ଦିନ ତୁମ୍ଭର

ସଂପୂଜିତ ହେବ

ଦେଶେ ପ୍ରତିଘର ।

ମହାତୀର୍ଥ ହେବ

ତବ ଏ ଆସ୍ଥାନ,

ଲଭିବ ଜଗତେ

ଦୁର୍ଲ୍ଲଭ ସମ୍ମାନ ।

ଧନ୍ୟ କବିବର,

ମହା ଭାଗ୍ୟଧର,

କାଠଯୋଡ଼ୀ ତବ

ପଖାଳେ ପୟର ।

ପଶ୍ଚିମେ ଉତ୍ତରେ

ଯେତେ ଶୈଳରାଜି

 

ଅର୍ଦ୍ଧବୃତ୍ତାକାରେ

ଅଛନ୍ତି ବିରାଜି,

ଜୀବିତେ ସେ ଋଣୀ

ଥିବାରୁ ସର୍ବଥା, ୧

 

୧- କବିବର ଜୀବିତାବସ୍ଥାରେ ଏହି ପର୍ବତମାନଙ୍କ ଏମାନେ ତାହାଙ୍କଠାରେ ଋଣୀ । ବିଷୟ ଖ୍ୟାତିଗ୍ରନ୍ଥରେ ଲିପିବଦ୍ଧ କରିଥିଲେ । ଏଣୁ

 

ପ୍ରକାଶନ୍ତି ଏବେ

ଭକ୍ତି କୃତଜ୍ଞତା ।

ଭଲ୍ଲୁକ ଆନୃତି

ଭାଲୁଙ୍କା ପର୍ବତ

ତୁମ୍ଭ ଉଦ୍ଦେଶ୍ୟରେ

କରେ ଦଣ୍ଡବତ ।

ମେଘମଞ୍ଚ ମଞ୍ଚା ୨

ଟେକି ବର-କର

 

୨- ସ୍ୱନାମପ୍ରସିଦ୍ଧ ପର୍ବତ । ଏହି ପର୍ବତଚୂଡ଼ାରେ ଗୋଟିଏ ବୃହତ୍‌ବଟବୃକ୍ଷ ଅଛି।

 

ତବ ସମ୍ମାନାର୍ଥେ

ଉଭା ନିରନ୍ତର ।

ପାର୍ଶ୍ୱେ ସିଦ୍ଧେଶ୍ୱର

ମହୀଧରରାଜ

ବୌଦ୍ଧକୀର୍ତ୍ତିପୁତ

ପ୍ରାଚୀନ ନରାଜ ।

ବଡ଼ମ୍ବା ରାଜ୍ୟର

କୁମାରଙ୍ଗ ଗିରି,

ମାରକତ ହର୍ମ୍ୟ

ସମ ଯାର ଶିରୀ

ଦେବ-ଅଧ୍ୟାସିତ

ଗିରି ଦେବୀହାର

ସମସୂତ୍ରେ ରହି

ଦିଶଇ ଉଦାର ।

ବ୍ୟାପି ସର୍ପେଶ୍ୱର ୩

ବହୁ ଦୂରଯାଏ

 

୩- ମହାନଦୀ ଏବଂ ସର୍ପେଶ୍ୱରୀର ସଙ୍ଗମ ସ୍ଥଳରେ ଏହି ପର୍ବତ ଅବସ୍ଥିତ ।

 

ଧନୁକାକୁତିରେ

ଦୁରୁ ଶୋଭାପାଏ ।

ମହାନଦୀ ସବୁ

ସଦା ସର୍ପେଶ୍ୱରୀ

ଖଟନ୍ତି ତା ପଦେ

ଯେସନ କିଙ୍କରୀ ।

କରିକୁମ୍ଭାକୃତି

ତୁଙ୍ଗ ସପ୍ତଶଯ୍ୟା, ୪

 

୪- ଢେଙ୍କାନାଳାନ୍ତର୍ଗତ ପର୍ବତବିଶେଷ । ଦୂରରୁ ଏହାର ଆକୃତି କରିକୁମ୍ଭ ସଦୃଶ ଦୁଷ୍ଟ ହୁଏ । ବର୍ଣ୍ଣିତ ଗରିମାଳ ମଧ୍ୟରେ ଏହି ପର୍ବତ ସର୍ବୋଚ୍ଚ ।

 

ଯା ଶିଖରେ ମୁଦେ

ସୃଜେ ଘନ ଶଯ୍ୟା ।

ସରଡ଼ା ପାହାଡ଼

ସରଟ ୫ ପରାୟ

ଟେକିଛି ମସ୍ତକ

ବିସ୍ତାରିଣ କାୟ ।

ପଛୁ ଗୋଡ଼ ଟେକି

ହେଲା ପ୍ରାୟ ଠିଆ, ୫- ଏଣ୍ଡୁଅ

ଦିଶେ ବହୁଶିର

ହଜାରମୁଣ୍ଡିଆ ୬

ହରଗୌରୀପ୍ରିୟ-

ପୀଠ କଇଳାସ,

ଝର-ଝଙ୍କାରିତ

ଶବର ୭ ଆବାସ ।

ନିର୍ଭୟରେ ତାହା

ପାଦତଳେ ଶୋଇ

 

୬- ଗିରିପୁଞ୍ଜ ବିଶେଷ ସମ୍ଭବତଃ ଅସଂଖ୍ୟ ଗିରି ପୁଞ୍ଜୀଭୂତ ହୋଇଥିବାରୁ

୭- ଢେଙ୍କାନାଳ ଅନ୍ତର୍ଗତ କପିଳାସ ପର୍ବତରେ ଏହାର ନାମ ହଜାରମୁଣ୍ଡିଆ ହୋଇଅଛି । ଅନେକ ଶବର ବାସ କରନ୍ତି ।

 

ବତ୍ସ ପ୍ରାୟ ତାର

ଦିଶେ ଶଙ୍ଖପୋଇ । ୮ ।

ଏ ଆଦି ଯେତେକ

ମହୀଧରଗଣ

ଉଦ୍ ଗ୍ରୀବେ କରନ୍ତି

ସମାଧୀ ଦର୍ଶନ ।

ଚିତ୍ରୋତ୍ପଳା-ନୀର-

ଅଭିଷିକ୍ତ ହର,

 

୮-ଆଠଗଡ଼ର ସର୍ବୋଚ୍ଚ ପର୍ବତ ।

ଅନନ୍ତପ୍ରତାପୀ

ଶ୍ରୀ ଧବଳେଶ୍ୱର ୯

ମହାନଦୀ ଗର୍ଭ

ଶୈଳଚୂଳେ ଥାଇ

ସମାଧିକୁ ତବ

ଅଛନ୍ତି ଅନାଇଁ !

ବର୍ଷୁଛନ୍ତି ତହିଁ

ଆଶୀର୍ବାଦରାଶି ୯- ମହାନଦୀ ମଧ୍ୟସ୍ଥ ସ୍ୱନାମଖ୍ୟାତ ଶିବଲିଙ୍ଗ ।

ସଦା ଶିବଦାତା

ଶ୍ମଶାନପ୍ରବାସୀ ।

ଭୁଆସୁଣୀ ପ୍ରାୟ

ଭୂଆସୁଣୀ ତରୁ ୧୦

ନଦୀ ପୂତ ଜଳେ

ସ୍ନାନି ପ୍ରଭାତରୁ

ଦେଖଇ ତୁମ୍ଭଙ୍କୁ

ହୋଇ ଭକ୍ତିରତା,

 

୧୦- ଏହାର ନାମ ଭୁଆସୁଣୀ ବୃକ୍ଷ ବୋଲି ବହୁକାଳରୁ ପ୍ରବାଦ

ଅଛି ।-ବୃକ୍ଷଟି ଆଠଗଡ଼ର ସୀମାରେ ଅବସ୍ଥିତ । ସମ୍ବଲପୁର ଅଞ୍ଚଳରେ ଏହା ‘‘ସେନା’’ ନାମରେ ଅଭିହିତ ।

 

ନର ନୁହ ତୁମ୍ଭେ

ଥିଲ ଯେ ଦେବତା ।

ମେଘମାନେ ତବ

ଦର୍ଶନ ମନାସି

ସପ୍ତଶଯ୍ୟାଶିଖୁ

ଖରେ ଉଡ଼ି ଆସି

ପାତନ୍ତି ଆସନ

ଶଙ୍ଖପୋଇ ଶିରେ,

କରନ୍ତି ସମ୍ଭାଷ

ନିନାଦି ସଧୀରେ ।

ସମାଧି ଦ୍ୱିପାଶେ

ଫୁଲକୁଳକଟିକା,

ଉଭା ପତ୍ର-ଛତ୍ର

ଧରି ଶେଫାଳିକା ।

ଅବୁର ଭବିଷ୍ୟେ

ଧରି ପୁଷ୍ପଭାର

ସେ ଶିଙ୍ଗାରେ ୧

ତବ ରଚିତେ ସିଂହାର, ୨

ଜୀବନରେ ପ୍ରିୟ

ଥିଲେ ସେ ତୁମ୍ଭରି,

ଜୀବନାନ୍ତେ ପୁଣି

ହେଲେ ସେହିପରି । ୩ ।

୩- ଶିଙ୍ଗାରହାର ଫୁଲକୁ କବିବର ବିଶେଷ ଆଦର କରୁଥିଲେ ।

୧- ଶିଙ୍ଗାରହାର ଗଛ ।

୨- ସିଂହାର ବେଶ ।

ସଜ୍ଜନର ପ୍ରୀତି

ଏହିପରି ଭବେ

ଜୀବନେ ମରଣେ

ନ ତୁଟେ ତା ଲବେ ।

କର୍ମବୀର ତୁମ୍ଭେ

ଥିଲ କବିମଣି !

ଅଚିନ୍ତ୍ୟ ଅଦ୍ଭୁତ

ତୁମ୍ଭର କରଣୀ ।

ନ ଧରିଣ ଚିତ୍ତେ

ସୁଯଶକାମନା

କରୁଥିଲ ବସି

ନୀରବେ ସାଧନା ।

ମାତ୍ର ଅଲକ୍ଷିତେ

ଅଯାଚିତ ଯଶ

କରୁଥିଲା ପଛୁଁ

ତୁମ୍ଭଙ୍କୁ ପରଶ ।

ଶୋଭା ପାଇଁ ବୃକ୍ଷ

ଖୋଜେ ନାହିଁ ଲତା,

ବଳେ ହୁଏ ସିନା

ସେ ତା ପଦାନତା ।

ପ୍ରକୃତି ଯୋଗାଇ

ଦିଏ ଆଣି ତାହା ।

ପ୍ରକୃତି ମହିମା

କେ ବୁଝିବ ଆହା ।

କର୍ମ ସାଧନରେ

ଅଟେ ମହାକୃତୀ

ସମସ୍ତଙ୍କ କର୍ମ

ଦେଖେ ସେ ପ୍ରକୃତି ।

ଯାଚି ଦିଏ କର୍ମ

ଦେଖି ପୁରସ୍କାର,

ଚିରନ୍ତନ ରୀତି

ଅଟେ ଏ ତାହାର ।

ଗୁଣଗ୍ରାହୀ ରାଜା

ଗୁଣ ଅନୁଭବି

ଅର୍ପିଲେ ତୁମ୍ଭଙ୍କୁ

ଗୌରବ-ପଦବୀ ।

ଅବଧୀ ଉତ୍କଳ

ସେ ଗୌରବ-ଧନେ

ସୁଗୌରବାନ୍ୱିତ

ଆପଣାକୁ ମଣେ ।

କି ବର୍ଣ୍ଣିବି ଦେବ !

ତୁମ୍ଭଣ ମହିମା,

କ୍ଷୁଦ୍ର ଲେଖନୀ କି

ବଳିକି ତା ସୀମା ।

ଅସମ୍ପୂର୍ଣ୍ଣ ଛାଞ୍ଚେ

ପୂର୍ଣ୍ଣ ପ୍ରତିଛବି

ଉଠିବ ବା କାହୁଁ

ହେ ଗୌରବ-ରବି ?

ତୁମ୍ଭର ମହତ୍ତ୍ୱ

କି ବର୍ଣ୍ଣିବ କିଏ,

ତବ କାବ୍ୟମାଳା

ତାର ସାକ୍ଷ୍ୟ ଦିଏ ।

ଭାରତୀ ଆଶ୍ରମେ

ଥିଲି ତୁମ୍ଭେ ବଟୁ ୪

କଳ୍ପନା ସାଗର-

ସନ୍ତରଣ-ପଟୁ ।

ଦେଖାଇଲ ମର୍ତ୍ତ୍ୟେ

ନନ୍ଦନ-କାନନ, ୪- ତପସ୍ୱୀ ।

ଫୁଟାଇଲ ତହିଁ

ସୁମନ-ସୁମନ ।୫

କି ଅସାଧ୍ୟ ତବ,

ମହାମରୁସ୍ଥଳେ

ବହେ କଲ୍ଲୋଳିନୀ

ତବ ଆଜ୍ଞାବଳେ ।

ମାର୍ଜିତ ରୁଚିରେ

ମାର୍ଜିତ ଭାଷାରେ

 

୫- ଦେବପୁଷ୍ପ ଅର୍ଥାତ୍‌ ପାରିଜାତ ।

 

ରଚିଲି ସାହିତ୍ୟ

ଶକ୍ତି ଅନୁସାରେ ।

ନବ ଭାବ ତହିଁ

କରି ସଂଯୋଜିତ

ଶିଖାଇଲ ଦେଶେ

ଆଦର୍ଶ ସାହିତ୍ୟ ।

ମଣିମୟ ତବ

ବିରଚିତ ଗ୍ରନ୍ଥ,

ନବ ସାହିତ୍ୟର

ତାହା ଆଦ୍ୟ ସନ୍ଥ ।

ଉତ୍କଳର ଅଙ୍ଗ

ତନ୍ନ ତନ୍ନ କରି

ଦେଖି ଗ୍ରାମ ନଦୀ

ବନ ଗିରି ଦରୀ,

ଚିତ୍ରିଲି ତାହାକୁ

ନବୀନ ତୂଳିରେ,

ସେ ଚିତ୍ର ସୁଷମା

ବର୍ଣ୍ଣି ନୁହେଁ ଗିରେ ।

ଜଳେ ପଦ୍ମ ପ୍ରାୟ

ନ ମିଶି ଜଗତେ

ଖେଳୁଥିଲ ସଦା

ପ୍ରକୃତ ସଙ୍ଗତେ ।

ପଙ୍କିଜ ପିଚ୍ଛିଳ

ଏ ସଂସାର ପଥ,

ନ ରୁଚିଲା ତହିଁ

ତୁମ୍ଭ ମନୋରଥ ।

ତେଣୁ ଭିନ୍ନ ପୁଅ

ସୃଜି ନିଛାଟିଆ,

ଚାଲୁଥିଲ ତହିଁ

ତୁମ୍ଭେ ଏକାଟିଆ ।

ଜନ୍ମଭୂମି ଦୁଃଖେ

ସଦା ଖିନ୍ନ ମନେ

କନ୍ଦାଉଣଥିଲ

ନିଜେ କାନ୍ଦି ଅନ୍ୟେ ।

ଥିଲ ତୁମ୍ଭେ ଦେଶ-

ଗୌରବ-କେତନ,

ଉତ୍କଳ-ସାହିତ୍ୟ-

ଗର୍ବ-ଗଣ୍ଠିଧନ ।

ସୌଜନ୍ୟ ତୁମ୍ଭର

ଯେ ଦେଖିଛି ଥରେ,

ନ ହେବ ବିସ୍ମୃତ

କେବେ ଜୀବନରେ ।

ଉତ୍ସାହର ପୁଣି

ଥିଲ ପ୍ରତିମୂର୍ତ୍ତି,

ସ୍ମରଣେ ତା ହୃଦେ

ଧରି ନୁହେଁ ଧୃତି ।

ନବୀନ ଲେଖକ-

ମାନଙ୍କର ଆହା

ଥିଲ ତୁମ୍ଭେ ଦେବ !

ଏକମାତ୍ର ସାହା ।

ହରାଇ ତୁମ୍ଭଙ୍କୁ

ସେମାନେ ଅନାଥ,

କାନ୍ଦୁଛନ୍ତି କହି

ହା ହା ରାଧାନାଥ !

ସାରଲ୍ୟରେ ତୁମ୍ଭେ

ସାରଲ୍ୟଦାୟାଦ,

ସିନ୍ଧୁ ସମ ତବ

ପାଣ୍ଡିତ୍ୟ ଅଗାଧ ।

ବିବିଧ ଭାଷାରେ

ଥିଲ ସୁମଣ୍ଡିତ,

ବିବିଧ ସାହିତ୍ୟ-

ଶାସ୍ତ୍ର-ସୁପଣ୍ଡିତ ।

ଧରିଲା ତୁମ୍ଭଙ୍କୁ

ଏ ଉତ୍କଳ ଧରା

ଶୁଭକ୍ଷଣେ କୋଳେ

କୀର୍ତ୍ତି-କଳେବର ।

ମାହେନ୍ଦ୍ର ମୂହୂର୍ତ୍ତେ

ଧରିଲ ଲେଖନୀ,

କାବ୍ୟ-ବନ-ପିକ

ଆହେ ସୁଧୀମଣି !

ଲଘୁ କଲ ତୁମ୍ଭେ

ମାତୃଭାଷା ଦୁଃଖ ।

ଉଜ୍ଜ୍ୱଳିଲ ପୁଣି

ମାତୃଭୂମି ମୁଖ ।

ମାଗୁଛି ମେଲାଣି

ଏବେ କବିବର,

ଜୁହାରି ଉଦ୍ଦେଶ୍ୟେ

ଯୋଡ଼ି ବେନି କର ।

ଥିଲ ତୁମ୍ଭେ ମଞ୍ଚେ

ଚାରିତ୍ର୍ୟଦେବତା,

ସୂକର୍ମେ ଲଭିଛି

ମରି ଅମରତା ।

ପାର୍ଥିବ ଶରୀର

ହରିଅଛି କାଳ,

ଯଶ-ଦେହ ତବ

ଥିବ ଚିରକାଳ ।

ଯେତେ କାଳ ଥିବ

ଏ ଉତ୍କଳଧାମ,

ଯେତେ କାଳ ଥିବ

ମାତୃଭାଷା ନାମ,

ରହିବ ତାବଚ

ଚବ ସ୍ୱର୍ଣ୍ଣସ୍ମୃତି,

ମହୋଚ୍ଛ୍ୱକପ୍ରଭ

ଶୁଭ୍ର-କୀର୍ତ୍ତୀ-ମୂର୍ତ୍ତି ।

ତରା ତା’ ଶରୀର

ନ ପାରିବ ସ୍ପର୍ଶି,

କାଳ-କ୍ରୂର କୀଟ

ନା ପାରିବି ଦଂଶି ।

କବିତାରୂପିଣୀ

କନ୍ୟାଏ ତୁମ୍ଭର

ଉତ୍କଳ ପ୍ରଦେଶେ

ଭ୍ରମି ନିରନ୍ତର,

ତୁମ୍ଭର ମାହାତ୍ମ୍ୟ

ଆଦର୍ଶ ଶିଖାଇ

ତବ ଶୁଭ ସ୍ମୃତି

ରଖିବେ ଜଗାଇ ।

ରଖିବେ ଜଗାଇ

ଯୋଗ୍ୟପୁତ୍ର ଶଶୀ

ତବ ସୁପବିତ୍ର-

କୁଳ-ପୂର୍ଣ୍ଣଶଶୀ ।

ଆଦଶ ତାଙ୍କର

ପିତୃଭକ୍ତି ନିଷ୍ଠା,

କରିଛନ୍ତି ଏହି

ସମାଧି ପ୍ରତିଷ୍ଠା ।

ପିତା ତାଙ୍କ ଧର୍ମ,

ପିତା ତାଙ୍କ ସ୍ୱର୍ଗ,

ପିତା ଜପ ତପ,

ପିତା ଅପବର୍ଗ ।

ପିତୃ-ପ୍ରତିମୂର୍ତ୍ତି-

ଦର୍ଶନର ସଦା

ଦେଖିଛି ତାଙ୍କର

ଅସାମାନ୍ୟ ଶ୍ରଦ୍ଧା ।

ପିତୃ ଅସ୍ଥିକୁ ସେ

ମହାମଣି ମଣି

ଧରିଛନ୍ତି ବକ୍ଷେ

ସୁପୁତ୍ର-ଅଗ୍ରଣୀ ।

ପିତୃଖ୍ୟାତ ବୃଦ୍ଧି

ତାଙ୍କ ନିତ୍ୟବ୍ରତ,

ପିତୃପୂଜା-ଯଜ୍ଞେ

ଦୀକ୍ଷିତ ସତତ ।

ହୋଇଛ ଆଶ୍ୱସ୍ତ

ଦେଖି ତାଙ୍କ କାମ,

ରଖିବେ ସେ ନିଶ୍ଚେ

ତବ ପୁଣ୍ୟ ନାମ ।